ବିଶ୍ଵ ପ୍ରସିଦ୍ଧ ପବିତ୍ର ରଥ ଯାତ୍ରା
ବିଶ୍ଵ ପ୍ରସିଦ୍ଧ ପବିତ୍ର ରଥ ଯାତ୍ରା । ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିରରୁ ବାହାରି ଆସିବେ ନିଜର ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ । ସେ ଭକ୍ତର ଭଗବାନ । ଜାତି, ଧର୍ମ, ବର୍ଣ୍ଣର ଉର୍ଦ୍ଧ୍ବରେ ସେ ଜଗତର ନାଥ । ସେ କେବଳ ହିନ୍ଦୁର ଦେବତା ନୁହଁ, ବିଶ୍ଵର ବିଭିନ୍ନ ଧର୍ମର ଲୋକେ ତାଙ୍କୁ ଭକ୍ତି କରନ୍ତି ମହାପ୍ରଭୁ ଭାବେ । ଉତ୍କଳୀୟ ସଂସ୍କୃତିର ପ୍ରାଣ ଜଗନ୍ନାଥ ସଂସ୍କୃତି, ଏହି ସଂସ୍କୃତିରେ କୌଣସି ସଂକୀର୍ଣ୍ଣତା ନାହିଁ । ଶ୍ରୀମନ୍ଦିରରେ ଛୁଆଁ ଅଛୁଆଁ ନାହିଁ, ପ୍ରତି ବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଭିନ୍ନ ଧର୍ମର ଲୋକଙ୍କୁ ଦର୍ଶନ ଦେବା ପାଇଁ ବଡ ଦାଣ୍ଡକୁ ଆସିଥାନ୍ତି । ମାନବବାଦ ଓ ମାନବୀୟ ଲୀଳା ଖେଳା ଶ୍ରୀଜଗନ୍ନାଥ ସଂସ୍କୃତିର ମୂଳ ଭିତ୍ତି । ସେ ମହାପ୍ରଭୁ, ସେ ଭକ୍ତ ପାଇଁ ବଡ ଠାକୁର, ତାଙ୍କ ଦାଣ୍ଡ ବଡ ଦାଣ୍ଡ, ତାଙ୍କ ମନ୍ଦିର ବଡ ଦେଉଳ, ତାଙ୍କ ପ୍ରସାଦ ଶ୍ରୀ ମହାପ୍ରସାଦ । ତାଙ୍କର ବାହୁ ନାହିଁ, କିନ୍ତୁ ସେ ମହାବାହୁ, ତାଙ୍କର ଗୋଡ଼ ନାହିଁ, କିନ୍ତୁ ତାଙ୍କ ପାଦ ତଳେ କୋଟି ଜୁହାର କରନ୍ତି କୋଟି କୋଟି ଶ୍ରଦ୍ଧାଳୁ । ତାଙ୍କ ଆଖିରେ ପଲକ ପଡେନି, କେତେ ବେଳେ କେଉଁ ଭକ୍ତ ଅସୁବିଧାରେ ପଡ଼ି ଡାକିଦେବ ବୋଲି । ଶ୍ରୀଜଗନ୍ନାଥ ଏ ମାଟିର ଆଦିଦେବତା । ସେ ବିଶ୍ଵାବସୁ ଶବରର ନୀଳମାଧବ, ପୁଣି ଆର୍ଯ୍ୟର ମହାପ୍ରଭୁ ଜଗନ୍ନାଥ ଦେବ । ତାଙ୍କ ନିକଟରେ ଭକ୍ତି ଓ ବିଶ୍ୱାସ ଗୁରୁତ୍ଵ ରଖେ, ଫିକା ପଡ଼ିଯାଏ ଜାତି, ଧର୍ମ । ଦାସିଆ ବାଉରୀ ନଡିଆର ଅପେକ୍ଷା ରଖନ୍ତି ସେ । ଯବନ ସାଲବେଗ ପାଇଁ ଅଟକି ଯାଏ ତାଙ୍କ ରଥ । ସେ ସର୍ବଧର୍ମ ସମନ୍ବୟର ପ୍ରତୀକ । ବୌଦ୍ଧ ସଂସ୍କୃତିରେ ବିଶ୍ବାସୀ ଲୋକେ ବୁଦ୍ଧଙ୍କ ଅନ୍ୟନାମ ଜଗନ୍ନାଥ ବୋଲି କୁହନ୍ତି, ଜୈନ ଧର୍ମାବଲମ୍ବୀ ତାଙ୍କୁ ଜୀନେଶ୍ୱର ଭାବେ ପରିକଳ୍ପନା କରନ୍ତି । ଶିଖ ଧର୍ମର ପ୍ରତିଷ୍ଠାତା ଖୋଦ୍ ନାନକ ବି ଛୁଟି ଆସିଥିଲେ ଶ୍ରୀକ୍ଷେତ୍ର । ସେ ଶ୍ରୀଜଗନ୍ନାଥଙ୍କ ଆରାଧନା କରିଥିବା ବେଳେ ତତ୍କାଳୀନ ଗଜପତି ମହାରାଜା ପ୍ରତାପରୁଦ୍ର ଦେବ ନାନକ ଦେବଙ୍କୁ ଯେଉଁ ଅଭ୍ୟର୍ଥନା ଦେଇଥିଲେ, ତାହା ଜଗନ୍ନାଥ ସଂସ୍କୃତିର ମୂଲ୍ୟବୋଧକୁ ସ୍ପଷ୍ଟ କରାଇଦିଏ । ଜଗନ୍ନାଥଙ୍କ ଧାମରେ ମଙ୍ଗୁ ମଠ ଶିଖ ଧର୍ମାବଲମ୍ବୀ ଓ ଜଗନ୍ନାଥ ସଂସ୍କୃତି ମଧ୍ୟରେ ଥିବା ନିବିଡ ସମ୍ପର୍କର ପ୍ରମାଣ ଦିଏ ।
ଖ୍ରୀଷ୍ଟ ଧର୍ମର ପ୍ରବର୍ତ୍ତକ ଯୀଶୁ ଖ୍ରୀଷ୍ଟ କିଛି କାଳ ଅଜ୍ଞାତ ବାସରେ ଥିଲେ । ଜେରୁଜେଲମ ବାହାରେ ଏହି ଅଜ୍ଞାତ ବାସ ସମ୍ପର୍କରେ ଇତିହାସ ନିରବ । ତେବେ ' ଦି ଅନନୋନ୍ ଲାଇଫ୍ ଅଫ ଯେଶସ୍ କ୍ରାଏଷ୍ଟ' ପୁସ୍ତକ ଜରିଆରେ ଋଷ ଜନ୍ମିତ ପ୍ୟାରିସ ଅଧିବାସୀ ନିକୋଲାସ୍ ନୋଟୋଭିଚ୍ ଏହା ଉପରୁ ପରଦା ହଟେଇବା ପ୍ରଚେଷ୍ଟା କରିଛନ୍ତି । ୧୩ ବର୍ଷ ବୟସରେ ଯୀଶୁ ଜେରୁଜେଲମ ଛାଡିଥିଲେ । ସେ ପଞ୍ଜାବ ପରେ ପୁରୀ ଆସିଥିଲେ । ପୁରୀରେ ସେ ବେଦ ଅଧ୍ୟୟନ କରିଥିଲେ । ପୁରୀର ବ୍ରାହ୍ମଣଙ୍କ ଠାରୁ ବେଦ ଶିକ୍ଷା ଗ୍ରହଣ କରିଥିବା ଯୀଶୁ ପୁରୀ ଓ ରାଜଗିରରେ ଛଅ ବର୍ଷ ରହିଥିବା ବେଳେ ସେଠୁ ତିବ୍ବତ ଫେରି ସେଠାରେ ବୌଦ୍ଧ ଧର୍ମ ସମ୍ପର୍କିତ ଶିକ୍ଷା ଗ୍ରହଣ କରିଥିଲେ ଓ ସେ ପରେ ପର୍ସିଆ ଦେଇ ୨୯ ବର୍ଷ ବୟସରେ ବୋଲି ସେ ନିଜ ପୁସ୍ତକରେ ଉଲ୍ଲେଖ କରିଛନ୍ତି । ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମଧ୍ୟ ଯୀଶୁଙ୍କ ପୁରୀ ଆଗମନ କଥା କହିଥିବା ବେଳେ ସେ ହିନ୍ଦୁ ଥିଲେ ବୋଲି ମଧ୍ୟ କହିଥିଲେ ।
ଟିକେ ନିରିଖେଇ ଦେଖିଲେ ବୌଦ୍ଧ, ଜୈନ ସମେତ ବିଶ୍ଵର ପ୍ରାୟ ସବୁ ଧର୍ମର ସାରତତ୍ତ୍ଵ ଜଗନ୍ନାଥ ସଂସ୍କୃତିର ଅଂଶ ବିଶେଷ ବୋଲି ହୃଦୟଙ୍ଗମ ହୁଏ । ଜଗନ୍ନାଥ ସଂସ୍କୃତି ବା ସନାତନ ସଂସ୍କୃତିର ବ୍ୟାପ୍ତି କୌଣସି ଜାତି, ଧର୍ମ, ଭୌଗୋଳିକ ସୀମାରେଖା ଭିତରେ ବାନ୍ଧି ହୋଇ ରହିନାହିଁ । କବିର, ହରି ଦାସ, ସାଲବେଗଙ୍କ ଭଳି ମୁସଲିମ ଜଗନ୍ନାଥଙ୍କ ବଡ ଭକ୍ତ । ଶ୍ରୀମନ୍ଦିରକୁ ଅଣହିନ୍ଦୁ ପ୍ରବେଶ ଉପରେ ପ୍ରତିବନ୍ଧକ ଅଛି, ତେବେ ଆଜି ଯାଏଁ ଶ୍ରୀମନ୍ଦିରକୁ ବ୍ୟକ୍ତିଗତ ଭାବେ ସର୍ବାଧିକ ଦାନ ଦେଇଥିବା ବ୍ୟକ୍ତି ଜଣେ ଅଣହିନ୍ଦୁ ତଥା ଅଣ ଭାରତୀୟ । ସୁଇଜରଲ୍ୟାଣ୍ଡର ମହିଳା ଏଲିଜାବେଥ ଜିଗଲର୍ ବିଗତ ଦିନରେ ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ୧.୭୮ କୋଟି ଟଙ୍କା ଦାନ ଦେଇଥିଲେ, ଯାହାକି ତତ୍କାଳୀନ ସମୟରେ ମନ୍ଦିର ହୁଣ୍ଡିରୁ ବାର୍ଷିକ ଆୟ ଠାରୁ ବି ଅଧିକ ଥିଲା । ଏସକେ ମକବୁଲ୍ ଇସଲାମ ନାମକ ଜନୈକ ମୁସଲିମ ଗବେଷକ, ଯାହାଙ୍କୁ ଦ୍ବିତୀୟ ସାଲବେଗ ବୋଲି କେହି କେହି କୁହନ୍ତି ସେ ଜଗନ୍ନାଥଙ୍କ ଉପରେ ଗବେଷଣା କରି ଡି.ଲିଟ୍ ହାସଲ କରିଛନ୍ତି । ସେ ପଶ୍ଚିମବଙ୍ଗର ୨୪୦ ମନ୍ଦିର, ବାଂଲାଦେଶର ୨୮ ମନ୍ଦିର ଓ ନେପାଳର ୧୨ ମନ୍ଦିର ବୁଲି ନିଜ ଗବେଷଣା ସମ୍ପୂର୍ଣ୍ଣ କରିଥିଲେ । ଯେତେବେଳେ କରୋନା ସମୟରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଉପରେ କଟକଣା କଥା ଚର୍ଚ୍ଚାକୁ ଆସିଥିଲା, ସେତେବେଳେ ରଥଯାତ୍ରା ସପକ୍ଷରେ ସୁପ୍ରିମକୋର୍ଟକୁ ଯାଇଥିବା ବ୍ୟକ୍ତି ଓ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଚର୍ଚ୍ଚାକୁ ଆସିଥିଲେ ନୟାଗଡ଼ର ଜନୈକ କଲେଜ ଛାତ୍ର ଅଫତାବ୍ ହୁସେନ ।
ତତ୍କାଳୀନ ସମୟରେ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ସ୍ନାତକ ଶେଷ ବର୍ଷର ଛାତ୍ର ଥିବା ଅଫତାବ ଜଣେ ମୁସଲମାନ ହୋଇଥିଲେ ବି ରଥଯାତ୍ରା ପାଇଁ ବ୍ୟାକୁଳ ହୋଇଥିଲା ତାଙ୍କ ହୃଦୟ । ସେ ଭଲ ପାଆନ୍ତି ଜଗନ୍ନାଥଙ୍କୁ, ରଥଯାତ୍ରା ବି କରନ୍ତି ନିଜ ଗାଆଁରେ । କେବଳ ଅଫତାବ୍ ନୁହଁନ୍ତି, ନିଜ କାର୍ଯ୍ୟରେ ଖୋର୍ଦ୍ଧା ନିରାକାରପୁର ନିକଟବର୍ତ୍ତୀ ଖଜୁରୀପଡ଼ାର ଶାହାଜୁଦ୍ଦିନ୍ ଖାଁ ଜଣେଇ ଦେଇଥିଲେ ଜାତି, ଧର୍ମର ଉର୍ଦ୍ଧ୍ବରେ ଏ ମାଟିର ଦେବତା ଜଗନ୍ନାଥ । ନିଜ ବାଡିର ଶିମିଳି ଗଛ ଶ୍ରୀମନ୍ଦିର କାର୍ଯ୍ୟ ପାଇଁ ଦେବା ନିମନ୍ତେ ବନବିଭାଗ ଅନୁରୋଧ ପାଇବା ପରେ ଶାହାଜୁଦ୍ଦିନ୍ କହିଥିଲେ ଜଗନ୍ନାଥ ଆମ ଦେବତା, ଏ ରାଜ୍ୟର ପାଣି, ପବନ ସବୁ ସମର୍ପିତ ଜଗନ୍ନାଥଙ୍କୁ । ବାହାରକୁ ଗଲେ ଜଗନ୍ନାଥ ଦେଶର ଲୋକ ଭାବେ ତାଙ୍କୁ ସମସ୍ତେ ଆପଣାଇ ନେଇଥାନ୍ତି । ଶ୍ରୀଜଗନ୍ନାଥଙ୍କ ପାଇଁ ଦରକାର ପଡିଲେ ଗଛ କଣ, ରକ୍ତ ଦେବାକୁ ସେ ପ୍ରସ୍ତୁତ ବୋଲି କହିବା ବେଳେ ଜଗନ୍ନାଥ ଚେତନା କୌଣସି ସୀମା ଭିତରେ ସୀମିତ ନୁହେଁ ବୋଲି ସ୍ପଷ୍ଟ ହୋଇଯାଏ । କେବଳ ଭାରତ କାହିଁକି ଆଜି ସାରା ବିଶ୍ବରେ ଜଗନ୍ନାଥଙ୍କ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଶ୍ବର ବିଭିନ୍ନ ଦେଶରେ ଅଣହିନ୍ଦୁ ବି ରଥଯାତ୍ରାର ଆୟୋଜନ କଲେଣି । କେବଳ ଭାରତ କାହିଁକି ପଡୋଶୀ ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା, ନେପାଳ, ମିଆଁମାରରେ ବି ଶ୍ରୀଜଗନ୍ନାଥଙ୍କ ମନ୍ଦିର ରହିଛି । ନେପାଳ ରାଜପରିବାରର ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପୂଜା ଅଧିକାର ମଧ୍ୟ ରହିଛି । ଜାତି, ଧର୍ମ, ଭୌଗୋଳିକ ସୀମାରେଖାର ଉର୍ଦ୍ଧ୍ବରେ ଏ ମାଟିର ତଥା ଏ ଜାତିର ଆଦି ଦେବତା ଜଗତର ନାଥ ଜଗନ୍ନାଥ ଯେ ବିଶ୍ଵଦେବତା ପାଲଟି ଯାଇଛନ୍ତି, ସେଥିରେ ଆଦୌ ସନ୍ଦେହ ନାହିଁ ।