1. ଶିବାନୀର ଚିଫ୍ ଗେଷ୍ଟ୍...
ଶିବାନୀର ଚିଫ୍ ଗେଷ୍ଟ୍...
ପକ୍କା କମ୍ବଳ ପୋତ ଛତା, ଶୁଣୁ ଅବୋଲକରା କହୁଛି କଥା । ' ମୋ ଗଳ୍ପର ନାୟକ ସୁରିଆ ମରିନି, ଆପଣମାନଙ୍କ ପାଖରେ ସେ ମରିଯାଇଛି, କାରଣ 'ସମ୍ବାଦ'ର 'ଶେଷ ସ୍ତମ୍ଭ' ଆଉ ଲେଖା ହେଉନାହିଁ, ପୂଜା ସଂଖ୍ୟାରେ ସୁରେନ୍ଦ୍ର ମହାନ୍ତିଙ୍କ ଗପ ଆଉ ନାହିଁ କିମ୍ବା କୌଣସି ସାହିତ୍ୟ ସଭା ବା କଲେଜ ଫଙ୍କସନରେ ସୁରେନ୍ଦ୍ର ମହାନ୍ତିଙ୍କ ଭାଷଣ ଆଉ ଶୁଣିବାକୁ ମିଳୁନି । ଗତ ୩୪ ବର୍ଷ ହେବ ଆମେ କେବଳ ତାଙ୍କ ଲେଖାକୁ ପଢୁଛୁ ବା ଲେଖା ଉପରେ ଗବେଷଣା କରି ଡକ୍ଟରେଟ ହାସଲ କରୁଛୁ । କିନ୍ତୁ ସୁରେନ୍ଦ୍ର ମହାନ୍ତି ୧୯୨୨ ଜୁନ ୨୧ ତାରିଖ ଠାରୁ ୧୯୯୦ ଡ଼ିସେମ୍ବର ୨୧ ପର୍ଯ୍ୟନ୍ତ ଯାହା ତାଙ୍କ ଶୃତିରେ ଥିଲା, ଲେଖି ଯାଇଛନ୍ତି 'ପଥ ଓ ପୃଥିବୀ'ରେ । 'ପଥ ଓ ପୃଥିବୀ'ର ମୁଖବନ୍ଧରେ ସେ ଲେଖିଛନ୍ତି ' ପଥ ଓ ପୃଥିବୀ' ମୋର ଆତ୍ମଜୀବନୀ ନୁହେଁ । ଭଗବାନଙ୍କ ଇଚ୍ଛାରୁ ମୋର ଜୀବନ ଏକ ଘଟଣାବହୁଳ ଜୀବନ ହୋଇ ରହି ଆସିଛି। ତେଣୁ ଅନେକେ କହିବା ପରେ ମୋ ଜୀବନ ଶ୍ରୁତି ଲେଖିଲି । ତିନୋଟି ଇଞ୍ଜିନ ( ସାହିତ୍ୟ, ସାମ୍ବାଦିକତା, ରାଜନୀତି)କୁ ନେଇ ମୋ ଜୀବନ ଗତିଶୀଳ ଥିଲା । ଯଦିଓ ମୁଁ ବାବାଜୀ ନୁହେଁ କି ପୁରା ସାଂସାରିକ ମଧ୍ୟ ନୁହେଁ । ସାଂସାରିକ ଜୀବନରେ ମୁଁ ମଧ୍ୟ ଏକପ୍ରକାର ଦୂରଛଡା ହୋଇ ରହୁଥିଲି । ମୋ ନାତି ନାତୁଣୀମାନେ (ଋତୁପର୍ଣ୍ଣା, ପ୍ରଭଞ୍ଜନ, ସାବେରୀ, ସିଦ୍ଧାର୍ଥ) ମୋତେ ଅଚିହ୍ନା ଅଚିହ୍ନା ବାରନ୍ତି । ଏମିତିକି ମୋ ସାନ ପୁଅ କିଟୁ ମୋତେ ବାବୁ ବୋଲି ଡାକେ । '
ଶିବାନୀ ( କୌଣସି ଦେବୀଙ୍କ ନାମ ନୁହେଁ ବା କୌଣସି ଲଳନାର ଶୁଭ ନାମ ମଧ୍ୟ ନୁହେଁ) ହେଉଛି ଶିବାନୀ - ତୁଳସୀପୁର, କଟକର ଏକ ଠିକଣା । ପୋଷ୍ଟ ପିଅନ ଏହି ଠିକଣା ଦେଖିଲେ ଗଦା ଗଦା ଚିଠି ଆଣି ଦେଇଯାଏ ଏହି ଘରେ । ଏହି ଘରେ ରହନ୍ତି ମୋ ଗଳ୍ପର ନାୟକ ସୁରିଆ ।
ମୋ ହେତୁ ପାଇବା ଦିନୁ ଶୁଣିଛି ବେବି ବୋଉ ( ମୋ ବୋଉ) ସୁରିଆଙ୍କୁ ଯଦି କିଛି କହିବାର ଥାଏ ଡାକ ପକାଏ - ' ଶୁଣୁଛ ଚିଫ୍ ଗେଷ୍ଟ ' । ଆମେମାନେ ବେଶ୍ ହସୁ । ସୁରିଆକୁ ମୁଁ ଡାକେ ' ବାପାମ' , ମୋ ସାନ ଭାଇ ଟୁଟୁ ଡାକେ 'ବାପା' , କିଟୁ ଡାକେ ' ବାବୁ ' । ମୋ ପୁଅ ଝିଅ ଡାକନ୍ତି ' ତପି '। ଟୁଟୁ ପୁଅ ଝିଅ ଡାକନ୍ତି ' ବିକୁ ଅଜା ' । ତାଙ୍କୁ ଦେଖିନଥିବା ଓ ଗପରୁ ଶୁଣିଥିବା କିଟୁ ଝିଅ ଶ୍ୱେତା ଫଟୋଟାକୁ ଆଙ୍ଗୁଠି ଦେଖାଇ କୁହେ ' ଜେଜେ ' । ସମସ୍ତେ ଭିନ୍ନ ଭିନ୍ନ ସମ୍ବୋଧନ କରନ୍ତି ମୋ ଗଳ୍ପର ନାୟକ ସୁରିଆଙ୍କୁ । ସବୁ ସମ୍ବୋଧନ ପଛରେ ଏକ ଛୋଟ କାହାଣୀ ରହିଛି, ଯାହାକୁ ହୁଏତ କୌଣସି ଆଲୋଚକ ବା ସୁରେନ୍ଦ୍ରଙ୍କୁ ଭଲ ପାଇଥିବା ପାଠକମାନେ ଜାଣିନଥିବେ । ତେଣୁ ଏହି ନାମକରଣ ପଛର କାହାଣୀ ହିଁ ଏଥର ଗଳ୍ପର ମୂଳ କଥା...
ଚିଫ୍ ଗେଷ୍ଟ ...
ସବୁ ପୁଅଙ୍କ ଭଳି ସୁରେନ୍ଦ୍ର ଯୌବନ କାଳରେ ଵିଵାହ କରିବାର ସ୍ବପ୍ନ ଦେଖିଥିଲେ, କିନ୍ତୁ ତାଙ୍କ ବାପା ଚାହୁଁଥିଲେ ମୋଟା ଅଙ୍କର ଯୌତୁକ ବା ଯେଉଁ କନ୍ୟା ପିତା ଦେଇପାରିବ ଦୁଇ ମାଣ ଚାଷୋପଯୋଗୀ ଜମି ଓ ଗୋଟେ ରାଲେ ସାଇକେଲ । ତେବେ ସତ୍ତା ବିରୋଧୀ ସୁରିଆ ନିଜ ଜୀବନ ଡଙ୍ଗା ଚଳାଇବା ବେଳେ ଏକ କୂଳରେ ପହଞ୍ଚି ଯାଇଥିଲା ସମୟର ସ୍ରୋତରେ । କୂଳଟି ଥିଲା ଥ୍ରୀ - ଓଲ୍ଡ କଲେଜ ଲେନ୍, ନିମଚଉଡ଼ି, କଟକ । ଥ୍ରି ଓଲ୍ଡ କଲେଜ ଲେନ୍ ଘରର ମୂରବୀ ଥିଲେ ମଧୁ ମହାନ୍ତି । ସେ ସମୟର ବିଶିଷ୍ଟ ଆଡଭୋକେଟ, ଚିନ୍ତାନାୟକ, ପ୍ରଗଳ୍ଭ ବକ୍ତା ତଥା ଏକ ସମ୍ବାଦପତ୍ରର ମାଲିକ ।
ଜଟଣୀରୁ କପଡା ବିକି ପରାସ୍ତ ସୈନିକ ପରି ଯେତେବେଳେ ସୁରିଆ ଫେରିଲା କଟକ ଟାଉନକୁ, ସେତେବେଳେ ଜଣେ ସହୃଦଙ୍କ ସହାୟତାରେ ପହଞ୍ଚିଥିଲା ମଧୁବାବୁଙ୍କ ଘରେ ତାଙ୍କ ସମ୍ବାଦପତ୍ର ପ୍ରକାଶନରେ ସାହାଯ୍ୟ କରିବା ନିମନ୍ତେ । ଥ୍ରୀ ଓଲ୍ଡ କଲେଜ ଲେନ ଘରେ ରହୁଥିଲେ ମଧୁ ମହାନ୍ତିଙ୍କ ପତ୍ନୀ( ଯିଏକି ଛୁଆ ମାଆ ଭାବେ ପରିଚିତ ଥିଲେ), ତାଙ୍କ ବଡ ଝିଅ ଦୀପ୍ତି, ସାନ ଝିଅ ରେଣୁକା ଏବଂ ପୁଅ ରଣଜିତ୍ । ମଧୁ ମହାନ୍ତିଙ୍କ ପରିବାର ଏକ ଛୋଟ ପରିବାର ଥିଲା, କିନ୍ତୁ ସେହି ପରିବାରଟି ବସୁଧୈବ କୁଟୁମ୍ବକମର ବାର୍ତ୍ତା ଦେଉଥିଲା ।
ଛୁଆ ମାଆ ଥିଲେ ପରିବାରର ମେରୁ ଖୁଣ୍ଟ । ସେ ସମସ୍ତଙ୍କୁ ବାନ୍ଧି ରଖିଥିଲେ ନିଜ ପଣତ କାନି ତଳେ । 'ଅବଜର୍ଭର' ପାଇଁ ଡିଟେକ୍ସନ୍ ନେବା ନିମନ୍ତେ ସୁରିଆ ଯାଉଥିଲା ମଧୁ ବାବୁଙ୍କ ଘରକୁ । ତେବେ ସ୍ୱଳ୍ପ ଟଙ୍କାରେ ସୁରିଆର ପେଟ ପୁରୁନଥିଲା । ହଠାତ୍ ଦିନେ ଛୁଆ ମାଆ ପ୍ରସ୍ତାବ ଦେଲେ - ' ସୁରେନ୍ଦ୍ର ତୁମେ ପ୍ରତ୍ୟେକ ଦିନ ଘରକୁ ଆସୁଛ, ଆଉ ଟିକେ ସମୟ ବାହାର କରି ବେବିକୁ ପଢେଇ ଦେଲେ ହୁଅନ୍ତା ନାହିଁ? ସେ ମାଟ୍ରିକ ଦେବ ଏ ବର୍ଷ। ' ମୋ ଗଳ୍ପର ନାୟକ ସୁରିଆ ପାଇଁ ଏହା ଥିଲା ଏକ ଉତ୍ତମ ପ୍ରସ୍ତାବ । ଆଉ ଏଇଠୁ ହିଁ ମୋଡ ବଦଳାଇଲା ସୁରିଆ ଜୀବନର ଗତିପଥ । ସେହି ଦିନ ଠାରୁ ସୁରିଆର ଆତଯାତ ସେ ଘରକୁ ବଢିଲା। ବାହାର ମହଲାର ମଧୁ ବାବୁଙ୍କର ସହଯୋଗୀ ସୁରିଆ ଏବେ ଭିତର ମହଲାରେ ବେବିର ଶିକ୍ଷକ । ସେତେବେଳକୁ ଦୀପ୍ତି ପାଠ ପଢି ନିଜ ଗୋଡ଼ରେ ଛିଡ଼ା ହୋଇ କିଛି କରିବାର ମନୋବୃତ୍ତି ନେଇ କଲେଜରେ ପଢୁଥାନ୍ତି । ରଣଜିତ ଷ୍ଟୁଆର୍ଟ ସ୍କୁଲ୍ ଛାତ୍ର ।
ସୁରିଆ କୁହେ ପ୍ରେମଟା ବଡ ସିରିୟସ ଜିନିଷ । ୧୯୪୩/୪୪ ମସିହାରେ ପ୍ରେମ ବିବାହ ଏକ ନିଷିଦ୍ଧ ସ୍ଵପ୍ନ । କୌଣସି ଏକ ସନ୍ଧ୍ୟାରେ ପଶ୍ଚିମ ଆକାଶରେ ସୂର୍ଯ୍ୟ ବୁଡିଲା ବେଳେ ପୂର୍ବ ଆକାଶରେ ଚନ୍ଦ୍ରର ଉଦୟ, ନୀଡ଼କୁ ଫେରି ଯାଉଥିବା ପକ୍ଷୀର କାକଳି, ଦୂର ମନ୍ଦିରରୁ ଭାସି ଆସୁଥିବା ଘଣ୍ଟଘଣ୍ଟିର ଶଦ୍ଦ, ଅଜଣା ଫୁଲର ବାସ୍ନା ଭିତରେ ଛାତ ଉପରେ ସୁରିଆ ଓ ରେଣୁକା ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଲେ ଯେ, ଦୁହେଁ ବିବାହ କରିବେ । ସେଦିନ ସୁରିଆ ଫେରିଥିଲା ପ୍ରତିଶ୍ରୁତି ଦେଇ ' ମୁଁ ଆସିବି, ବିବାହ କରି ତୁମକୁ ନେବି ତୁମ ବାପା ମା ରାଜି ହେଲେ । ଯଦି ସେମାନେ ରାଜି ନହୁଅନ୍ତି, ଆମେ ଦୁହେଁ ସାବାଳକ, ଆମେ ଘର ଛାଡ଼ିଦେବା । ସ୍ବପ୍ନକୁ ସ୍ବପ୍ନ ହୋଇ ରହିବାକୁ ଦେବାନି, ବାସ୍ତବ କରିବା ।' ସେ ସମୟରେ ମଧୁ ବାବୁ ଘରେ ନଥିଲେ । ଦୁଇ ଦିନ ଧରି ସୁରିଆ ଯାଇନଥିଲା । ସୁରିଆ ଅପେକ୍ଷା କରିଥିଲା ମଧୁ ବାବୁଙ୍କ ପ୍ରତ୍ୟାବର୍ତ୍ତନକୁ । ଯେଉଁ ଦିନ ମଧୁ ବାବୁ ଫେରିଲେ,ସନ୍ଧ୍ୟାରେ ତାଙ୍କୁ ତାଙ୍କ ଘରେ ଦେଖା କରି ରେଣୁକା ଓ ତାଙ୍କର ବିବାହ କଥା କହିଲେ ଏବଂ ଯଦି ସେ ରାଜି ନହେବେ, ସାବାଳକ ହୋଇଥିବାରୁ ଆଖି ଯୁଆଡ଼େ ପାଇବ, ସିଆଡେ ଚାଲିଯିବେ ବୋଲି ସ୍ପଷ୍ଟ ଭାବେ ଜଣାଇ ଦେଇଥିଲେ । ହତବାକ୍ ହୋଇଯାଇଥିଲେ ମଧୁ ବାବୁ । ତେବେ ନିଜକୁ ସହଜ କରି ମଧୁ ବାବୁ କହିଥିଲେ - ' ବିବାହରେ ଆପତ୍ତି ନାହିଁ, କିନ୍ତୁ ବିବାହଟା ସହଜ କଥା ନୁହେଁ, ଟିକେ ଅପେକ୍ଷା କର ।' ସୁରିଆ ଆମର ଗୁରୁଗମ୍ଭିର କଣ୍ଠରେ ଗୁରୁଜନଙ୍କ ଭଳି କହିଲା - ' ବୁଝୁନାହାଁନ୍ତି କାହିଁକି? ବିବାହ ଯେତିକି ଡେରି ହେବ, ବଦନାମ୍ ଝିଅ ସେତିକି ହେବ । ଆପଣଙ୍କୁ ଓ ଛୁଆ ମାଆଙ୍କୁ ନେଇ ବିଭିନ୍ନ କୁତ୍ସାରଟନା ସହର ସାରା ଘୁରି ବୁଲିବ, ଯେଉଁଟାକି ମୁଁ ଚାହେଁ ନାହିଁ । ବିବାହ ସ୍ଥିର ହୋଇଗଲେ ଚର୍ଚ୍ଚା ବି ମରିଯିବ ।' ବିବାହ ସ୍ଥିର ହେଲା ଜୁନ ୫, ୧୯୪୫ ମସିହାରେ । ସୁରିଆ ଆମର ଲମ୍ଫ ଦେଲା ଆଉ ଗୋଟେ ଜୀବନକୁ । ସେ ନିମଚଉଡ଼ି ଘରେ ସିନା ମଧୁ ବାବୁ ଓ ଛୁଆ ମାଆଙ୍କୁ ବୁଝେଇ ଦେଇ ପାରିଥିଲେ, କିନ୍ତୁ ପୁରୁଷୋତ୍ତମପୁରରେ ସୃଷ୍ଟି ହେଲା ବିରାଟ ଝଡ । ବାପା ଲୋକନାଥଙ୍କ ବିରୋଧ ଥିଲା, କିନ୍ତୁ ମାଆ ସୁଶୀଳା ଦେବୀଙ୍କ ଗୋଟିଏ କଥା ମୋ ପୁଅ ଖୁସିରେ ମୁଁ ଖୁସି । ମୁଣ୍ଡରେ ଓଢଣା ଟାଣି ସୁଶୀଳା ଦେବୀ କହିଥିଲେ ' ମୁଁ ତ ଯୌତୁକ ଆଣିଥିଲି, ଶ୍ବଶୁର ଘର ଦାବି ଅନୁସାରେ ସବୁ କିଛି ଆଣିଥିଲି, ଏବେବି ଝୁଲୁଛି ମୋ ବାପଘର ସବାରୀ, ଜଗତ୍ର ପେଡ଼ି, ଶୋଇବା ଘରେ ଅଛି ଶିଶୁ କାଠ ଖଟ ଓ ପିତ୍ତଳ ଗୋବା ସିନ୍ଦୁକ । ମାଆ ହୋଇଛି ସତ, କିନ୍ତୁ ମୁଁ କଣ ଖୁସିରେ ଅଛି ନା ସୁର ବାପା ତୁମେ ଖୁସିରେ ଅଛ?'
ବିବାହ ପାଇଁ ଯୌତୁକ ଖୁସିର ମାନଦଣ୍ଡ ନୁହେଁ । ସୁରିଆର ବାହାଘର ସ୍ଥିର ହେଲା, ବାପାଙ୍କ କଥାରେ ନୁହେଁ, ବୋଉର କଥାରେ । ବାପା ଖୁସି ହେବା ଛଡା ଅନ୍ୟ ଉପାୟ ନଥିଲା । ଗାଆଁରେ, ସାଇପଡିଶାରେ ନିଜ ବଡପଣ ଦେଖାଇବାକୁ କିଛି ଜ୍ଞାତି କୁଟୁମ୍ବ, ପୁରୋହିତ, ବାରିକ, ବୋଉ ଓ ଭାଇଭଉଣୀଙ୍କୁ ଧରି ବାପା ଲୋକନାଥ ପହଞ୍ଚିଥିଲେ କଟକ ଗଉଡ଼ସାହିରେ । ବିବାହ ଦିନ ସୁଶୀଳା ଦେବୀ କଟକ ଘରେ ସାହି ପଡିଶାଙ୍କୁ ଧରି ଆରମ୍ଭ କରିଦେଇଥିଲେ ମଙ୍ଗନ କର୍ମ । ବରଧରା ଆସିଲା, ସୁରିଆ ବରଧରାକୁ କାନେ କାନେ କହିଥିଲା ଯଦି ମଧୁ ବାବୁ ଗାଡ଼ି ପଠେଇବେ ବୋଲି କହୁଛନ୍ତି, ତେବେ ପଠାଇ ପାରନ୍ତି, ମାତ୍ର ଭୁଲରେ ବି କିଛି ଯୌତୁକ ଦେବେ ନାହିଁ । ଛୁଆ ମାଆଙ୍କୁ ମଧ୍ୟ କହି ଦେଇଥିବୁ । ମୋର ମାତ୍ର ଗୋଟିଏ ଡିମାଣ୍ଡ ବାହାଘର ବେଳେ ସାହାନାଇ ବାଜିବ । ବରଧରା କାମ ସାରି ଫେରିଗଲା । ସନ୍ଧ୍ୟା ହେଲା । ହେଲେ ବରଧରା ଗାଡ଼ି ଆସିଲା ନାହିଁ । ସମୟ ଗାଡ଼ି ଯାଉଥିଲା । ସୁରିଆ ସମୟକୁ ବହୁତ୍ ଗୁରୁତ୍ଵ ଦିଏ । କାରଣ ସେ ଜାଣେ ସମୟ ଥରେ ଗଡ଼ିଗଲେ ଆଉ ଫେରିପାରେନି । ସୁରିଆର ଧୈର୍ଯ୍ୟ ଚ୍ୟୁତି ଘଟୁଥିଲା । ସୁଶୀଳା ଦେବୀଙ୍କୁ କହିଥିଲା ଅନୁକୂଳ କାମ ଆରମ୍ଭ କର । ସୁଶୀଳା ଦେବୀ ପୁଅର ତାହାକୁ ଭଲରେ ଜାଣିଥିଲେ । ଅନୁକୂଳ କାମ ସରିବା ପରେ ସୁରିଆ କିଛି ସାଙ୍ଗଙ୍କୁ ଧରି ବାହାରିଲା ବିବାହ ପାଇଁ । ବେକରେ ଫୁଲ ମାଳ, କର୍ପୁର ମାଳ, ଧୋତି ପଞ୍ଜାବୀ ପିନ୍ଧିଥିବା ସୁରିଆ ପଛରେ କିଛି ସାଙ୍ଗ ସାଇକେଲ ଧରି ଚାଲିଲେ ବରଯାତ୍ରୀ ହୋଇ । ଲୋକନାଥ ବାବୁ ଆବାକାବା ହୋଇ ଛିଡା ହୋଇଗଲେ ପୁଅର ବାହାଘର ରୋଷଣୀ ଦେଖି ।
କଥାଟା ବିଜୁଳି ପ୍ରାୟ ବ୍ୟାପି ଯାଇଥିଲା ମଧୁ ବାବୁଙ୍କ ଘର ପର୍ଯ୍ୟନ୍ତ । ମଧୁ ବାବୁଙ୍କ ଘରେ ସମସ୍ତେ ବ୍ୟସ୍ତ ହୋଇପଡିଲେ । ଯାହା ହେଲେବି ମଧୁ ବାବୁଙ୍କ ପରିବାର ଏକ ଆଭିଜାତ୍ୟ ସମ୍ପନ୍ନ ପରିବାର । ମଧୁ ବାବୁ ସୁରେନ୍ଦ୍ର ସହ ଝିଅର ବାହାଘର ପାଇଁ ଅନେକ କଥା ଶୁଣିଥିଲେ । ଏବେ ପୁଣି ସୁରେନ୍ଦ୍ର ସାଇକେଲରେ ଆସୁଛନ୍ତି ବାହା ହେବା ପାଇଁ, ଡାକରା ପଡ଼ିଲା ଡ୍ରାଇଭରକୁ । ଡ୍ରାଇଭରର କହିବା କଥା ଫୁଲବାଲା ଡେରି କଲା, ତେଣୁ ଗାଡ଼ି ସଜାରେ ବି ଡେରି ହେଲା । ତେବେ ପରିସ୍ଥିତିକୁ ଦେଖି ଡ୍ରାଇଭର ଆଶ୍ଵାସନା ଦେଇ କହିଲା - ' ବ୍ୟସ୍ତ ହୁଅନ୍ତୁ ନାହିଁ, ମୁଁ ଯାଉଛି ଜୋଇଁ ବାବୁଙ୍କୁ ଧରି ଆସିବି । ତୀବ୍ର ବେଗରେ ଗାଡ଼ି ଧରି ଛୁଟି ଯାଇଥିଲା ଡ୍ରାଇଭର ଏବଂ ବାଟରେ ସାଇକେଲ ଧରି ଆସୁଥିବା ସୁରିଆ ଓ ସାଙ୍ଗମାନଙ୍କ ପଥ ଓଗାଳିଥିଲା । କିଛି କଥା ବାର୍ତ୍ତା ନକରି ସୁରିଆଙ୍କୁ ଟେକି ନେଇ ବସେଇଦେଲା ଗାଡ଼ିର ଆଗରେ । ସୁରିଆ ମଧ୍ୟ କିଛି କହିବା ଆଗରୁ ଗାଡ଼ି ଗଡିଥିଲା ନିମଚଉଡି ଆଡେ। ପଛରେ ସାଇକେଲରେ ସାଙ୍ଗମାନେ, ତା ପଛକୁ ରିକ୍ସାରେ ବାପା, ପୁରୋହିତ, ବାରିକ ଓ କିଛି ଗାଁ ଲୋକ । ରୋଷଣୀ ହେଲା, ଚର୍ଚ୍ଚା ବି ହେଲା, ବଡ ଝିଅ ଅଛି, ସାନ ଝିଅକୁ ଏମିତି ଏକ ଅଖ୍ୟାତ ଗରିବ ପୁଅ ହାତରେ ଛନ୍ଦି ମଧୁ ଓ ନିଶା ବାହା କରୁଛନ୍ତି? ତଣ୍ଟି ଚିପିଦେଲେନି ! ଛୁଆମା ସବୁ ଶୁଣୁଥିଲେ । ମଧୁ ବାବୁ ବି ସବୁ ଶୁଣୁଥିଲେ । ହସି ହସି କହୁଥିଲେ ସେ ସୁରେନ୍ଦ୍ର ନୁହଁ, ସେ ଇନ୍ଦ୍ର। ସୁରିଆକୁ ନେଇ ଗାଡ଼ି ପହଞ୍ଚିଥିଲା ମଧୁ ବାବୁଙ୍କ ନିମଚଉଡ଼ି ଘର ପାଖରେ । ପବନରେ ଭାସି ଆସୁଥିଲା ସାହାନାଇର ଶବ୍ଦ, ନାଲି ନୀଳ ଆଲୋକରେ ଝଲସୁଥିଲା ଘରଟି। ପାଣିରେ ନିଆଁ ପଡ଼ିବା ପରି ସୁରିଆ ଆମର ସବୁ ରାଗ ଭୁଲିଗଲା। ଡେରିରେ ଗାଡ଼ି ପହଞ୍ଚିବା କଥା ଭୁଲି ଯାଇ ବିସମି଼ଲ୍ଲା ଖାଁର ସାହାନାଇ ସ୍ଵରରେ ହଜି ଯାଇ ସୁରିଆ ଖୁସିରେ ଆତ୍ମହରା ହୋଇଥିଲା । ଦଶ ଦିଗପାଳ ଓ ଅଗ୍ନିକୁ ସାକ୍ଷୀ ରଖି ହାତ ଧରିଥିଲେ ରେଣୁକାର । ଆଉ ରେଣୁକା ବି ସେଦିନ କୁମାରୀ ଜୀବନର ସବୁ ସ୍ମୃତିକୁ ପଛରେ ପକାଇ ସୁରିଆର ହାତ ଧରି ସୁରିଆର କଟକ ଗଉଡସାହି ଭଡ଼ାଘରେ ପାଦ ଦେଲେ । ବୋହୂକୁ ଦେଖି ସୁଶୀଳା ଦେବୀ ଯେତିକି ଖୁସି ହୋଇନଥିଲେ, ବରଂ ମନ ଭିତରେ ଜାଗି ଉଠୁଥିଲା ତାଙ୍କ ଶାଶୁ ପଣିଆ । ତାଙ୍କ ପୁଅ ମନା ବୋଲି ବୋହୂର ବାପାଟା କିଛି ଯୌତୁକ ଦେଇନି? କିନ୍ତୁ କହିଲେ ନିଆଁ ଲାଗିବ । ସୁରିଆ ତାଙ୍କର ରାଗିଗଲେ ମହାପ୍ରଳୟ କରିଦେବ । ଘରେ ଗାଁ ଲୋକ, ସୁରିଆର ସାଙ୍ଗମାନେ ବି ଅଛନ୍ତି । ରାତି ପାହିଲେ ଚତୁର୍ଥୀ, କିନ୍ତୁ ଚତୁର୍ଥୀ ପାଇଁ ସୁରିଆ ପାଖରେ କଣ ଟଙ୍କା ଥିବ? ଏହି ଦ୍ଵନ୍ଦ୍ୱ ଭିତରେ ସୁରିଆ ଆଣି ୨୦୦ ଟଙ୍କା ସୁଶୀଳା ଦେବୀଙ୍କୁ ଦେଇ କହିଥିଲା କାଲି ଚତୁର୍ଥୀ କାମଟା ସରେଇ ଦିଅ, ତାପରେ ଦେଖା ଯିବ । ବଡ ଆଶ୍ଚର୍ଯ୍ୟ ଆଖିରେ ସୁରିଆକୁ ଚାହିଁ ରହିଥିଲେ ଉଭୟ ଲୋକନାଥ ଓ ସୁଶୀଳା ଦେବୀ । ସୁରିଆ କହିଥିଲା - ' ଚାହୁଁଛ କଣ? ରେଣୁକା ବୋଧେ ସବୁ ଜାଣିପାରେ, ତା ବେକରୁ ଛୁଆ ମାଆ ଦେଇଥିବା ଚେନଟା ଖୋଲିଦେଲା ଚତୁର୍ଥୀ ଭୋଜି ପାଇଁ । ' ସୁଶୀଳା ଦେବୀ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲେ ଘର କୋଣରେ ଓଢଣା ଟାଣି ବସିଥିବା ବୋହୂ ରେଣୁକାକୁ । ଆଖି ଦୁଇଟା ତଳକୁ ଥିଲା, ମୁହଁଟି ଠିକ୍ ପଦ୍ମ କଢି ପରି ଓ ସେ ଛନ୍ଦ କପଟ ଠାରୁ ବହୁତ୍ ଦୂରରେ । ଲୋକନାଥଙ୍କ ଭୟ ଓ ସନ୍ଦେହ ଥିଲା ଯେ ସେ ଜମିଦାର ଘରେ ବାହା ହୋଇ ଜୀବନରେ ଅନେକ କଷ୍ଟ ସହ୍ୟ କରିଛନ୍ତି, ସେ ଧରି ନେଇଥିଲେ ସୁରିଆ ମଧ୍ୟ ମଧୁ ମହାନ୍ତି ଘର ଝିଅକୁ ବାହା ହୋଇ ସେହିପରି ଏକ ଅନ୍ତର୍ଜ୍ଜ୍ଵଳନରେ ଜଳିବ । ଏବେ କିନ୍ତୁ ଲୋକନାଥଙ୍କ ସନ୍ଦେହ ଆଉ ନଥିଲା । ଜଗନ୍ନାଥ ବଡ଼ ଲୋକ । ରେଣୁକାଟା ବୁଝିଲା ଝିଅ । କେଉଁ ଝିଅ କେବେ ବାହାଘର ପରଦିନ ବେକରୁ ବେକରୁ ସୁନା କାଢିବା ସେ ଶୁଣିନଥିଲେ । ଜଗନ୍ନାଥ ବାରବୁଲା ସୁରିଆ ହାତରେ ରେଣୁକାକୁ ଛନ୍ଦି ବହୁତ୍ ବଡ କଲ୍ୟାଣ କରିଛନ୍ତି, ମୁଁ ବାଛିଥିବା ଝିଅ କେବେବି ରେଣୁକା ପାସଙ୍ଗରେ ପଡିନଥାନ୍ତେ ।
ଚତୁର୍ଥୀ ସରିଲା । ଜୀବନ ତା' ବାଟରେ ଗଡିଚାଲିଲା ସମୟ ପରି ୧୯୪୫ ଠାରୁ ୧୯୬୨ ଗଉଡ଼ସାହି, ମହମ୍ମଦିଆ ବଜାର, ରାମଗଡ, ଏମିତି ଅନେକ ଥର ସୁରେନ୍ଦ୍ର ତାର ପରିବାର ସହ ବସା ଘର ବଦଳେଇଛି । ଇତିମଧ୍ୟରେ ବାପା ଲୋକନାଥ ମହାନ୍ତି ମଧ୍ୟ ଆରପାରିକୁ ଚାଲିଯାଇଥିଲେ । ରେଣୁକାର ପ୍ରଚେଷ୍ଟା ଯୋଗୁଁ କଟକ ତୁଳସୀପୁର ମାରୱାଡ଼ି ବଗିଚାରେ ଜାଗା କିଣା ହେଲା । ସେତେବେଳେ ସେଠିକୁ କେହି ଯାଉନଥିଲେ । ଅନତି ଦୂରରେ ସତୀ ଚଉରା । ଶବ ପୋଡ଼ା ହେଲେ ଗନ୍ଧ ଭାସି ଆସେ । ସେ ମାରୱାଡ଼ି ବଗିଚାଟି ଥିଲା କଟକ ବାଲୁବଜାରର ଶଙ୍କର ଗୋଏଙ୍କାଙ୍କ ଜମି । ସାମ୍ନାରେ ସନତ ନଳିନୀ ହାଇସ୍କୁଲ । ସେ ବଗିଚା ମଧ୍ୟରେ ବିରାଟ ପୋଖରୀ । ପଡିଆ ଭିତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କିଛି ଜାଗା ଥିଲା, ଯେଉଁଠି ତାଙ୍କ ମାଆ ରହୁଥିଲେ । ତା ପାଖକୁ ସେ ସମୟର ବିଶିଷ୍ଟ ଲେଖକ ଅନନ୍ତ ପଣ୍ଡାଙ୍କ ଘର । ତାର ପାଖରେ ଆମ ଘର । ଘର ପ୍ରତିଷ୍ଠା ହେଲା ୧୯୬୨ ମସିହା ରଥ ଦିନ । ପ୍ରତିଷ୍ଠା ଦିନ ଯଦୁ ମିସ୍ତ୍ରୀ ୨ଟା ମାର୍ବଲ ନେଇ ଆସିଥିଲେ ଓ କହିଥିଲେ ବାବୁ ଗୋଟିଏ ପଟେ ଆପଣଙ୍କ ନାମ ଓ ଅନ୍ୟପଟେ ମାଆଙ୍କ ନାମ ମାର୍ବଲରେ ଲେଖିଦେଉଛି । କାଲି ଘର ପ୍ରତିଷ୍ଠା ବେଳକୁ ଏ ଘରର ନାମ ଦେଖି ସମସ୍ତେ ଜାଣି ଯାଇଥିବେ ଏହା ଆପଣଙ୍କ ଘର ବୋଲି । ବେବି ବୋଉ ବୋଧେ କିଛି କାମ କରୁଥିଲା । ହସି ହସି କହିଲା ତୁ ବାବୁଙ୍କ ନାମ ଲେଖ । ଆଉ ମୋ ନାମ ବଦଳରେ ଶିବାନୀ ଲେଖେ । କାରଣ ତୋ ବାବୁ ଶ୍ରୀଜଗନ୍ନାଥଙ୍କୁ ଯେତିକି ଭକ୍ତି କରନ୍ତି, ମାଆ ଦୁର୍ଗାଙ୍କୁ ମଧ୍ୟ ସେତିକି ଭଲ ପାଆନ୍ତି ଓ ଭକ୍ତି କରନ୍ତି । ଏ ଘରଟିର ନାମ ଶିବାନୀ ଓ ଶିବାନୀ ଘରର ଚିଫ୍ ଗେଷ୍ଟ ହେଉଛନ୍ତି ତୁମ ବାବୁ । ସେହିଦିନ ଠାରୁ ମୁଁ ଶୁଣିଛି ବୋଉ ଯେତେବେଳେ ଯାହା କୁହେ ଚିଫ୍ ଗେଷ୍ଟ ସମ୍ବୋଧନ କରି କୁହେ । ତେଣୁ ' ପଥ ଓ ପୃଥିବୀ 'ରେ ସୁରେନ୍ଦ୍ର ନିଜେ ଲେଖିଛନ୍ତି ମୋ ଘରେ ମୋତେ ପରିହାସ କରାଯାଏ ଚିଫ୍ ଗେଷ୍ଟ ବୋଲି, ତେଣୁ ଶିବାନୀର ଚିଫ୍ ଗେଷ୍ଟ ମୋ ଗଳ୍ପର ନାୟକ ସୁରିଆ ।
କଥାଟା ସରିନି, ଗଛଟା ମରିନି । ଉଠା କମ୍ବଳ, ବାନ୍ଧ ଛତା, ଆଉ ଥରେ କହିବା ସୁରିଆର କଥା ।